2 Corinthians 2

1ମାତ୍ର ତୁମ୍ଭମାନଙ୍କ ନିକଟକୁ ମୋହର ଯିବା ଯେପରି ପୁନର୍ବାର ଦୁଃଖଜନକ ନ ହୁଏ, ଏହା ମୁଁ ମନରେ ସ୍ଥିର କଲି । 2ଯେଣୁ ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖ ଦିଏ, ତେବେ ଯାହାକୁ ମୁଁ ଦୁଃଖ ଦିଏ, ତାହା ଛଡ଼ା ଆଉ କିଏ ମୋତେ ଆନନ୍ଦ ଦେବ ?

3ପୁଣି, ଯେଉଁମାନଙ୍କଠାରୁ ମୋହର ଆନନ୍ଦ ପାଇବା ଉଚିତ, ସେମାନଙ୍କଠାରୁ ମୁଁ ଆସି ଯେପରି ଦୁଃଖ ନ ପାଏ, ଏଥି ନିମନ୍ତେ ମୁଁ ଏହି କଥା ଲେଖିଥିଲି, ଯେଣୁ ମୋହର ଆନନ୍ଦରେ ଯେ ତୁମ୍ଭମାନଙ୍କର ଆନନ୍ଦ, ଏହା ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ବିଶ୍ୱାସ । 4କାରଣ ବହୁତ କ୍ଳେଶ ଓ ହୃଦୟର ବେଦନାରେ ବହୁଅଶ୍ରୁପାତ ସହିତ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି ଯେପରି ତୁମ୍ଭେମାନେ ଦୁଃଖିତ ହୁଅ, ଏପରି ନୁହେଁ, ମାତ୍ର ତୁମ୍ଭମାନଙ୍କ ପ୍ରତି ମୋହର ଯେ ଅଧିକ ପ୍ରଚୁର ପ୍ରେମ ଅଛି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହୁଅ ।

ଦୋଷୀକୁ କ୍ଷମା

5କିନ୍ତୁ ଯଦି କେହି ଦୁଃଖ ଦେଇଅଛି, ସେ ମୋତେ ଦୁଃଖ ଦେଇ ନାହିଁ, ମାତ୍ର କେତେକ ପରିମାଣରେ (ମୁଁ ଅଧିକ କଠିନ ହେବାକୁ ଇଚ୍ଛା କରୁ ନାହିଁ) ତୁମ୍ଭ ସମସ୍ତଙ୍କୁ ଦୁଃଖ ଦେଇଅଛି । 6ଅଧିକାଂଶଙ୍କ ଦ୍ୱାରା ଏପରିଲୋକ ଯେଉଁ ଶାସ୍ତି ପାଇଅଛି, ତାହା ପକ୍ଷରେ ତାହା ଯଥେଷ୍ଟ; 7ଏଣୁ କାଳେ ଏପରିଲୋକ ଅତିରିକ୍ତ ଦୁଃଖରେ ବୁଡ଼ିଯାଏ, ଏଥିପାଇଁ ତୁମ୍ଭେମାନେ ତାହାକୁ ବରଂ କ୍ଷମା କର ଓ ସାନ୍ତ୍ୱନା ଦିଅ ।

8ଅତଏବ, ତାହା ପ୍ରତି ପ୍ରେମ ବ୍ୟବହାର ସ୍ଥାପନ କରିବାକୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି । 9କାରଣ ତୁମ୍ଭେମାନେ ସମସ୍ତ ବିଷୟରେ ଯେ ବାଧ୍ୟ ଅଟ, ତୁମ୍ଭମାନଙ୍କ ବିଷୟରେ ସେଥିର ପ୍ରମାଣ ଯେପରି ମୁଁ ପାଏ, ଏହି ଉଦ୍ଦେଶ୍ୟରେ ମଧ୍ୟ ଲେଖିଥିଲି ।

10କିନ୍ତୁ ତୁମ୍ଭେମାନେ ଯାହାର କିଛି କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରେ; କାରଣ ମୁଁ ଯଦି କିଛି କ୍ଷମା କରିଅଛି, ତେବେ ଯାହା କ୍ଷମା କରିଅଛି, ତାହା ଖ୍ରୀଷ୍ଟଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ସକାଶେ କ୍ଷମା କରିଅଛି, 11ଯେପରି ଶୟତାନ ଆମ୍ଭମାନଙ୍କର ଅପକାର କରିବାକୁ ସୁଯୋଗପ୍ରାପ୍ତ ନ ହୁଏ । କାରଣ ଆମ୍ଭେମାନେ ତା’ର ସମସ୍ତ କଳ୍ପନା ସମ୍ବନ୍ଧରେ ଅଜ୍ଞ ନୋହୁ ।

ଖ୍ରୀଷ୍ଟଙ୍କ ଦ୍ୱାରା ବିଜୟ

12ପୁଣି, ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ତ୍ରୋୟାକୁ ଆସିଲା ଉତ୍ତାରେ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ସୁଯୋଗରୂପ ଦ୍ୱାର ମୁକ୍ତ ହେଲେ ହେଁ 13ମୋହର ଭାଇ ତୀତସଙ୍କୁ ନ ଦେଖି ଆତ୍ମାରେ ଶାନ୍ତି ନ ପାଇବାରୁ ସେମାନଙ୍କଠାରୁ ବିଦାୟ ଘେନି ମାକିଦନିଆକୁ ପ୍ରସ୍ଥାନ କଲି ।

14କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ, ସେ ସବୁବେଳେ ଆମ୍ଭମାନଙ୍କୁ ଘେନି ଖ୍ରୀଷ୍ଟଙ୍କଠାରେ ବିଜୟ ଯାତ୍ରା କରୁଅଛନ୍ତି, ଆଉ ସବୁ ସ୍ଥାନରେ ତାହାଙ୍କ ଜ୍ଞାନରୂପ ସୁବାସ ଆମ୍ଭମାନଙ୍କ ଦ୍ୱାରା ପ୍ରକାଶ କରୁଅଛନ୍ତି, 15କାରଣ ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କ ମଧ୍ୟରେ ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ,.

16ଏକ ପକ୍ଷର ଲୋକଙ୍କ ପ୍ରତି ମୃତ୍ୟୁଦାୟକ ଓ ଅନ୍ୟ ପକ୍ଷରେ ଲୋକଙ୍କ ପ୍ରତି ଜୀବନଦାୟକ ସୁବାସ ସ୍ୱରୂପ। ଆଉ ଏହି ସମସ୍ତ ନିମନ୍ତେ କିଏ ସମର୍ଥ ? ସେହି ଅନେକ ଲୋକ ଯେପରି ଈଶ୍ୱରଙ୍କ ବାକ୍ୟବିକୃତ କରନ୍ତି, ଆମ୍ଭେମାନେ ତ ସେମାନଙ୍କ ପରି କରୁ ନାହୁଁ, କିନ୍ତୁ ସରଳ ଭାବରେ ଈଶ୍ୱରଙ୍କ ଆଦେଶକ୍ରମେ ତାହାଙ୍କ ସାକ୍ଷାତରେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଥାଇ କଥା କହୁଅଛୁ ।

17

Copyright information for OriULB